ଲେଫ୍ରିପଡା: ସରକାର ଏକବିଂଶ ଶତାବ୍ଦୀରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ, ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଅଳାପକା ଗ୍ରାମ ପଞ୍ଚାୟତର ପତୁଆଘରା ଗ୍ରାମରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଏହି ଗାଁ ଆଜିବି ସରକାରୀ ସହାୟତା ଏବଂ ଯୋଜନାରୁ ବହୁ ଦୂରରେ ରହି ବଣ ପାହାଡର ଘେରାବନ୍ଦୀ ଭିତରେ ଘେରି ହୋଇ ରହିଛି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ପାହାଡ଼ ଉପରର ଗ୍ରାମବାସୀମାନେ ରାସ୍ତା, ପାଣି ଏବଂ ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।ଖାଲି ସେତିକି ନୁହେଁ ମୋବାଇଲ ନେଟୱର୍କ,ଅନଲାଇନ ଶିକ୍ଷା,ସୋସିଆଲ ମିଡ଼ିଆ ଏଠାରେ ଦିବସ୍ଵପ୍ନା ପାଲଟିଛି ।ଗାଁକୁ ଆମ୍ବୁଲାନ୍ସ ଆସି ପାରୁନଥିବାରୁ ଲୋକେ ରୋଗୀଙ୍କୁ ଖଟିଆରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେଇ ଥାନ୍ତି ଯାହା କି ଅତି ଦୁଃଖ ଓ ପରିତାପର ବିଷୟ ।ଏଠାକାର ଲୋକେ ଆଜି ବି ବିଲରେ କୂଅ ଖୋଲି ପାଣି ପିଉଛନ୍ତି ।ପ୍ରଶାସନ ଓ ସରକାର ନିଦ ବିଷ୍ଣୁ ସାଜି ଦେଖୁଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଗାଁକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ ଏକ ସଠିକ୍ ରାସ୍ତା ନିର୍ମାଣ ହୋଇପାରି ନାହିଁ। ଗ୍ରାମବାସୀମାନେ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ କିଛି ମାଟି ରାସ୍ତା ତିଆରି କରିଛନ୍ତି, ଯାହା ବର୍ଷା ଦିନେ ସମ୍ପୂର୍ଣ୍ଣ ଅଗମ୍ୟ ହୋଇପଡେ।ଏହି ଗ୍ରାମକୁ ଯିବାକୁ ହେଲେ ମାତ୍ର ଦୁଇଟି ରାସ୍ତା ଅଛି ଆଉ ଦୁଃଖର ବିଷୟ ଏହିକି ଯେ ଦୁଇଟି ଯାକ ରାସ୍ତା ଦୁର୍ଗମ ଓ ଅନୁନ୍ନତ । ପାନୀୟ ଜଳ ପାଇଁ ବହୁ ସଂଘର୍ଷ ପରେ ଗାଁରେ କେବଳ ଗୋଟିଏ ଟ୍ୟୁବୱେଲ ଖୋଳା ଯାଇଛି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୯ ରୁ ୧୦ କିଲୋମିଟର ଦୂରରେ ଥିବା ଏହି ଗାଁର ଲୋକମାନେ ଆଜିବି ବାଧ୍ୟ ହୋଇ ବିଲରେ ଥିବା ଖୋଲା କୂଅର ଦୂଷିତ ପାଣି ପିଇବା ପାଇଁ ବ୍ୟବହାର କରୁଛନ୍ତି, ଯାହାଫଳରେ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ରହିଛି।
ଏହି ଗାଁ ପ୍ରାୟ ୪ଟି ଛୋଟ ଛୋଟ ବସ୍ତିରେ ବିଭକ୍ତ। ଏଠାରେ ଏକ ଆଙ୍ଗନୱାଡି କେନ୍ଦ୍ର ଥିଲେ ମଧ୍ୟ ତାର ନିଜସ୍ୱ ଘର ନାହିଁ। ଫଳରେ, ଆଙ୍ଗନୱାଡି କର୍ମୀଙ୍କ ଘରେ ହିଁ ଛୋଟ ପିଲାମାନଙ୍କୁ ପାଠ ପଢ଼ାଯାଉଛି। ଏହା ବ୍ୟତୀତ, ଅନେକ ଲୋକ ବିଧବା ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ମଧ୍ୟ ବଞ୍ଚିତ ହୋଇଥିବା ବେଳେ ଦଖଲ ଚାଷ ଜମିର ପଟ୍ଟା ମିଳି ନାହିଁ ବୋଲି ଅଭିଯୋଗ ହୋଇଛି।ନାମକୁ ମାତ୍ର ଏଠାରେ ବିଦ୍ୟୁତ ଖୁଣ୍ଟ ପୋତି ତାର ଟଣା ଯାଇଛି ହେଲେ ବର୍ଷ ତମାମ ଲାଇନ ର ଦେଖା ନ ଥାଏ ।ମୋବାଇଲ ନେଟୱର୍କ ଉପଲବ୍ଧ ହେଉ ନ ଥିବାରୁ ଲୋକେ ହେଲ୍ପ ଲାଇନ କୁ ଯୋଗାଯୋଗ କରି ପାରନ୍ତି ନାହିଁ ।କେବେ କେମିତି ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଆସିଲେ ବିଦ୍ୟୁତ ମରାମତି କରି ଥାନ୍ତି ।
ଏହି ଗ୍ରାମରେ ମୁଖ୍ୟତଃ ଆଦିବାସୀ ଓରାମ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। କିନ୍ତୁ ପରିତାପର ବିଷୟ, ସେମାନଙ୍କର ସାମୁଦାୟିକ ଉପାସନା କେନ୍ଦ୍ର, ଅର୍ଥାତ୍ ‘ପାଢ଼ା ଘର’ ମଧ୍ୟ ନାହିଁ। ଏଥିପାଇଁ ଗ୍ରାମବାସୀମାନେ ପ୍ରତି ଗୁରୁବାର ଦିନ ଖୋଲା ପଡିଆରେ ଏକାଠି ହୋଇ ପ୍ରାର୍ଥନା କରିବାକୁ ବାଧ୍ୟ ହେଉଛନ୍ତି।ଗ୍ରାମରେ ଥିବା ସ୍କୁଲଟି ଦୀର୍ଘ ଦିନରୁ ବନ୍ଦ ହୋଇ ଯାଇଛି ।ଫଳରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ସଠିକ ଭାବରେ ଉପଲବ୍ଧ ହେଉ ନାହିଁ ।ଉଚ୍ଚ ପ୍ରାଥମିକ ଶିକ୍ଷା ପରେ ଛାତ୍ର ଛାତ୍ରୀ ମାନେ ହଷ୍ଟେଲ କିମ୍ବା ନିଜ ପ୍ରିୟପରିଜନ ମାନଙ୍କ ପାଖକୁ ଅଧ୍ୟୟନ ନିମନ୍ତେ ପଳେଇ ଯାନ୍ତି ।ଭାରତ ସ୍ଵାଧୀ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମର ଏଭଳି ଦୟନୀୟ ସ୍ଥିତି ସ୍ଥାନୀୟ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ଏହି ଗାଁ ପ୍ରତି ଧ୍ୟାନ ଦେଇ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।



