
ବଣପାହାଡ଼ ଘେରା ଲେଫ୍ରିପଡା ବ୍ଲକର ମଶାବିରା ଗ୍ରାମ ପଞ୍ଚାୟତର ପାହାଡ଼ ଉପରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ସରକାରୀ ସୁବିଧା ପହଞ୍ଚିପାରିନି। ଆଜି ସରକାର ଜନସାଧାରଙ୍କ ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟ କରୁଥିବାବେଳେ କେଉଁ ଦୋଷରୁ ଏହି ଆଦିବାସୀ ପରିବାର ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରାୟ ୧୨ ଟି ଆଦିବାସୀ ଓରାମ ସମ୍ପ୍ରଦାୟର ପରିବାର ଦିର୍ଘଦିନରୁ ଏଠାରେ ବସବାସ କରୁଥିବାବେଳେ ରାସ୍ତା,ବିଜୁଳି,ପାନୀୟଜଳ,ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକୀୟ ସୁବିଧା ପହଞ୍ଚି ପାରିନି । ଆମର ସର୍ବଜୟ ନିଉଜର ଏକ ସ୍ୱତନ୍ତ୍ର ଟିମ ଏହି ଗାଁ କୁ ଯାଇ ଲୋକଙ୍କ ସହିତ ସାକ୍ଷାତ କରି ସୁବିଧା ଅସୁବିଧା ବିଷୟରେ ବିଶେଷ ତଥ୍ୟ ସଂଗ୍ରହ କରିଥିଲେ ସେ ସମ୍ପର୍କରେ ଆଜିର ଆଲୋଚନା ।
ଦୁର୍ଗମ ରାସ୍ତା – ରୋଗୀଙ୍କୁ ଖଟିଆରେ ବୋହି ନିଅନ୍ତି ପରିବାର ଲୋକ

ଆଜି ଗମନାଗମନ ପାଇଁ ସବୁ ଜାଗାକୁ ରାସ୍ତା ନିର୍ମାଣ କରାଯାଉଛି ହେଲେ ଏଠାକୁ ଯିବାକୁ ହେଲେ ଆପଣଙ୍କୁ ପାହାଡ଼ ଉପର ଦେଇ ଜଙ୍ଗଲିଆ ପାଦଚଲା ରାସ୍ତାରେ ଯିବାକୁ ପଡିବ। ଯାହା ଅତି ଦୁଃଖର ବିଷୟ ଯେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗୋଟିଏ ଜନ ବସତିକୁ ପକ୍କା ରାସ୍ତା ଟିଏ ନାହିଁ । ଦଳକୀଝରଣ ଠାରୁ ଗୁଣ୍ଡିଆଡ଼ିହି ଯିବା ରାସ୍ତାରେ ଦଳକୀଝରଣ ଠାରୁ ଅନତି ଦୂରରୁ ବାଁ ପଟକୁ ଗଲେ ପ୍ରାୟ ପାଞ୍ଚ କିଲୋମିଟର ଗଡ଼ାଣି ଉଠାଣି ପାର ହୋଇକି ଗଲେ ଏହି ଗାଁ ଆପଣ ପହଞ୍ଚି ପାରିବେ। ଅନ୍ୟ ଏକ ରାସ୍ତା ହେଉଛି ହରସମରା ଚର୍ଚ୍ଚ ଠାରୁ ଗାଁ ମଧ୍ୟଦେଇ ଏକ ପାହାଡିଆ ରାସ୍ତା ରେ ଏହି ଗାଁ କୁ ଯାଇ ହୁଏ।ଉଭୟ ରାସ୍ତା ଅତ୍ୟନ୍ତ ଦୁର୍ଗମ ଓ ବିପଦପୂର୍ଣ୍ଣ ହୋଇଥିବା ବେଳେ ହରସମରା ରାସ୍ତାରେ ଦୁଇଟି ପାହାଡିଆ ନାଳ ପାର ହୋଇ ଯିବାକୁ ପଡେ।ଗୋଟିଏ ନାଳରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ପାଣ୍ଠିରୁ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ଯାଇଥିଲେ ମଧ୍ୟ ଅସମ୍ପୂର୍ଣ୍ଣ ଭାବେ ପଡି ରହିଛି ଯାହା ଫଳରେ ବର୍ଷ ସମୟରେ ଏହି ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଥାଏ ।ପ୍ରାୟ ଚାରି କିଲୋମିଟର ଏହି ରାସ୍ତାରେ ଏକ ବିରାଟ ଘାଟି ରହିଥିବାବେଳେ ଉଭୟ ପାର୍ଶ୍ବରେ ଗଡାଣିଆ ପାହାଡ଼ ରହିଛି ।ବିଶେଷ କରି ସ୍ୱାସ୍ଥ୍ୟ ଗତ ସମସ୍ୟା ହେଲେ ରୋଗୀ ମାନଙ୍କୁ ନେବା ଆଣିବାରେ ଅନେକ ଅସୁବିଧାର ସାମ୍ନା କରିବୁ ପଡେ । ଅମ୍ବୁଲାନ୍ସ ଏଠାକୁ ପହଞ୍ଚି ପାରୁ ନ ଥିବାରୁ ରୋଗୀମାନଙ୍କୁ ଖଟରେ ବୋହି ହରସମରା ଗାଢ଼ନାଲ ପର୍ଯ୍ୟନ୍ତ ନେବାକୁ ପଡେ।ବିଶେଷ କରି ବର୍ଷା ମାସରେ ରୋଗୀ ମାନଙ୍କୁ ନେବା ପାଇଁ ବହୁତ ଅସୁବିଧା ହୋଇଥାଏ ।ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏଠାରୁ ପ୍ରାୟ ୮/୯ କିଲୋମିଟର ଦୂରରେ ରହିଛି,ଚାଉଳ,ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ନେବା ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।ବୃଦ୍ଧ,ବୃଦ୍ଧା ମାନଙ୍କୁ ଏତେ ରାସ୍ତା ଯିବା ଆସିବା ବହୁତ କଷ୍ଟ କର,ପାହାଡିଆ ରାସ୍ତାରେ ଗଲେ ପାଖ ହେଉଥିବାବେଳେ ରାସ୍ତା ନଥିବାରୁ ଲୋକେ ହରସମରା,ଗୁଣ୍ଡିଆଡ଼ିହି ରାସ୍ତାଦେଇ ପ୍ରାୟ ୮/୯ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡେ ।
ବିଜୁଳି ଓ ପିଇବା ପାଣି – ଏକ ଅପୂରଣୀୟ ସ୍ୱପ୍ନ
ଏବେବି ସ୍ୱାଧୀନ ଭାରତରେ ଜଳୁଛି ଡିବିରୀ ଓ ଲଣ୍ଠନ,ଯଦି କଥାଟି ଅବିଶ୍ୱାସ ଲାଗୁଛି ଆପଣମାନେ ଆସି ଦେଖନ୍ତୁ ଏହି ଦୁର୍ଗମ ଘଞ୍ଚଜଙ୍ଗଲରେ ଥିବା ଯୁଗୀଲତ ଗାଁକୁ ।ଆଜିବି ସନ୍ଧ୍ୟାହେଲେ ଅନ୍ଧାର ରାଜୁତି କରୁଛି ଏହି ଗାଁରେ,ଗମନାଗମନ ସ୍ୱାସ୍ଥ୍ୟସେବା ତା ଅପହଞ୍ଚ ତା ସହିତ ବିଜୁଳି ଆଲୁଅ ଭି ପହଂଚି ପାରିନି ।ଲୋକେ ଦୀର୍ଘ ଦିନରୁ ବାରମ୍ବାର ବିଦ୍ୟୁତ ସଂଯୋଗ ପାଇଁ ଦାବି କରିଆସୁଥିଲେ ବି ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇ ପରି ନାହିଁ ।ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ସରକାର ବ୍ୟାପକ ଅର୍ଥବ୍ୟୟ କରୁଛନ୍ତି ହେଲେ ଦିଲ୍ଲୀ ରୁ ଯୁଗୀଲତ ନାମକ ପଲ୍ଲୀକୁ ବିଦ୍ୟୁତ ସଂଯୋଗ ପହଂଚି ପାରିନି ।ଫଳରେ ଲୋକେ ଅନ୍ଧାରରେ ଦିନ ଅତିବାହିତ କରୁଛନ୍ତି ।ମୋବାଇଲ ଚାର୍ଜ କରିବା ପାଇଁ ହରାସମରା କୁ ଯିବାକୁ ପଡେ ।ନିଜ ଖର୍ଚ୍ଚରେ କିଛି ଲୋକ ସୋଲାର ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନୁହେଁ ।ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ,ଗୋଟିଏ ମାତ୍ର ନଳକୂପ ରହିଥିଲେ ମଧ୍ୟ ପାହାଡ଼ ଉପରେ ଥିବାରୁ ପର୍ଯ୍ୟାପ୍ତ ପରିମାଣର ପାଣି ମିଳି ନଥାଏ । ଫଳରେ ନାଳ ଓ ଝରଣାର ପାଣି ପିଇବା ସହିତ ସେଠାରେ ଗାଧୋଇ ଥାନ୍ତି ।
ଯୋଗାଯୋଗ ବିହୀନ ଗାଁ

ଗାଁରେ ମୋବାଇଲ୍ ନେଟୱର୍କ ନାହିଁ।ଅତ୍ୟାବଶ୍ୟକ ସ୍ଥଳେ ଦଳକୀଝରଣ ରାସ୍ତା କିମ୍ବା ହରସମରା ଘାଟିତଳ ପର୍ଯ୍ୟନ୍ତ ଯିବାକୁ ପଡେ ।ବିଶେଷ କରି ରାତ୍ରି ସମୟରେ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଜରୁରୀ ଜରୁରୀକାଳୀନ ପରିସ୍ଥିତିରେ କାହା ସହିତ ଯୋଗାଯୋଗ ଅସମ୍ଭବ। ଅନଲାଇନ୍ ଶିକ୍ଷା, ବ୍ୟାଙ୍କ ସେବା ଓ ଇ-ଗଭର୍ନେନ୍ସ ଯୋଜନା ସବୁଠୁ ବଞ୍ଚିତ ରହିଛି।ଅନଲାଇନ କାର୍ଯ୍ୟ ନିମନ୍ତେ ଗୁଣ୍ଡିଆଡିହିକୁ ଯିବାକୁ ପଡିଥାଏ,ଯେଉଁ ରାସ୍ତାରେ ଗଲେବି ପାଞ୍ଚ କିଲୋମିଟର ଗଲେ ପିଚୁ ରାସ୍ତା ପଡେ।ସାମ୍ପ୍ରତ୍ତିକ ବ୍ୟବସ୍ଥାରେ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ପାଇଁ ସରକାରୀ ବ୍ୟବସ୍ଥା ଥିବାବେଳେ ମୋବାଇଲ ନେଟୱର୍କ ନଥିବାରୁ ତାହା ସମ୍ଭବ ହୋଇ ପାରୁ ନାହିଁ ଫଳରେ ପ୍ରାଥମିକ ଶିକ୍ଷା ମୁଖ୍ୟତଃ ବିପର୍ଯ୍ୟସ୍ତ ହୋଇପଡିଛି ।
ଜଙ୍ଗଲୀ ହାତୀ ଆତଙ୍କ ଓ ଶିକ୍ଷାର ଅଭାବ
ପ୍ରତିବର୍ଷ ନଭେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ଏଠାରେ ଜଙ୍ଗଲୀ ହାତୀମାନଙ୍କ ଆତଙ୍କ ଲାଗି ରହେ। ଅନେକ ଘର ଭାଙ୍ଗି ଯାଇଛି ଓ ଲୋକେ ଭୟରେ ରାତି ଜାଗି ରହନ୍ତି।ଜଙ୍ଗଲୀ ହାତୀଙ୍କ ମରଣାନ୍ତକ ଆକ୍ରମଣ ଯୋଗୁଁ ଗୋଟିଏ ପରିବାର ଗାଁ ଛାଡି ପଳାଇଗଲେ।ବିଦ୍ୟୁତ ବ୍ୟବସ୍ଥା ନଥିବାରୁ ରାତିରେ ଗାଁ ରେ ରହିବ ଭାରି ବିପଦଜନକ,ବେଳେ ବେଳେ ଗାଁ ର ଲୋକେ ଘରଛାଡି ପାହାଡ଼ ତଳ ଗାଁ ମାନଙ୍କୁ ଚାଲି ଯାନ୍ତି ଓ କିଛି ମୁଖିଆ ମାନେ ମଞ୍ଚା,ବଡ ବଡ଼ ଗଛ ଉପରେ ରହି ରାତି କାଟନ୍ତି ।ମୋବାଇଲ ନେଟୱର୍କ ଉପଲବ୍ଧ ହେଉ ନଥିବାରୁ ଜଙ୍ଗଲ ବିଭାଗ କିମ୍ବା ଅନ୍ୟ କୌଣସି ସାହାଯ୍ୟକାରୀ ସଂସ୍ଥା ସହିତ ଯୋଗାଯୋଗ ହୋଇ ନ ଥାଏ ।
ସରକାରୀ ଯୋଜନା ବିଫଳ
ସରକାରୀ ସୁବିଧା ଏହି ସ୍ଥାନକୁ ବହୁତ କମ ପହଞ୍ଚି ପାରିଛି,ଉଜାଲା ଯୋଜନା ମାଧ୍ୟମରେ ମାତ୍ର ଦୁଇଟି ପରିବାର ରନ୍ଧନ ଗ୍ୟାସ ପାଇଥିବା ବେଳେ ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ଦିବାସ୍ବପ୍ନ ପାଲଟିଛି।ଜଙ୍ଗଲ ଅଧିକାର ଆଇନ ବଳରେ ଦଖଲ ଜମିର କେବଳ ଶିରୋନାମା ମିଳିଥିବା ବେଳେ ପଟ୍ଟା ମିଳି ପାରିନାହିଁ ।ଶିକ୍ଷାର ବ୍ୟବସ୍ଥା ନଥିବାରୁ ପ୍ରାଥମିକ ଶିକ୍ଷା ପରେ ବାହାର ଅଞ୍ଚଳକୁ ଉଚ୍ଚ ଶିକ୍ଷା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ଯିବାକୁ ପଡୁଛି ।କଲେଜ ପଢିବା ପାଇଁ ହେଲେ ୩୦ କିଲୋମିଟର ଲେଫ୍ରିପଡା ନହେଲେ କିଂଜିରକେଲା ଯିବାକୁ ପଡୁଛି ।
ଗ୍ରାମବାସୀଙ୍କ ଦାବି
ଜୁଗିଲତ ଗ୍ରାମବାସୀ ଦାବି କରିଛନ୍ତି ଯେ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପକ୍କା ରାସ୍ତା, ପୋଲ, ବିଜୁଳି ଓ ପିଇବା ପାଣି ବ୍ୟବସ୍ଥା କରିବା ସହ ଶିକ୍ଷା ବ୍ୟବସ୍ଥା ପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ତାହା ନହେଲେ ଏହି ଗାଁ ସ୍ଵାଧୀନ ଭାରତର ମାନଚିତ୍ରରେ ଅନ୍ଧକାରରେ ରହିବା ନିଶ୍ଚିତ।ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବର୍ତ୍ତମାନର ରାଜ୍ୟ ସରକାରରେ ଉପ ବାଚସ୍ପତି ରହିଥିବା ବେଳେ ବଣ ପାହାଡ଼ ଘେରା ଲେଫ୍ରିପଡ଼ା ବ୍ଲକ ପ୍ରତି ପ୍ରଶାସନିକ ଅବହେଳା ସରକାର ପ୍ରତି ଖୋଲା ଚ୍ୟାଲେଞ୍ଜ ବୋଲି ମତପ୍ରକାଶ ପାଉଛି । ଜୁଗିଲତ ଗାଁର ଅବସ୍ଥା ମାନବିକ ଓ ପ୍ରଶାସନିକ ସଜାଗତା ପାଇଁ ଏକ ଚେତାବନୀ ଅଟେ। ସରକାର ଯଦି ‘ସମାନ ବିକାଶ’ ନୀତିକୁ ସତେଜ କରିବାକୁ ଚାହାନ୍ତି, ତେବେ ଏହି ପରି ଦୁର୍ଗମ ଗାଁମାନଙ୍କୁ ପ୍ରାଥମିକତା ଦେଇ ଉନ୍ନୟନ ମୂଳକ ଯୋଜନା ପହଞ୍ଚାଇବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଏସଂକ୍ରାନ୍ତରେ ମଶାବିରା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ମତାମତ ନେବାପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ ।








Total views : 46