କୋଇଲା କରିଡର ଯୋଗୁଁ  ସୁନ୍ଦରଗଡ଼-ଏମସିଏଲ ରାସ୍ତାକଡ଼ ମରୁଭୂମି

ବିକାଶ ସହିତ ବିଭିନ୍ନ କାର୍ଯ୍ୟକୁ ସଠିକ ଭାବରେ ସମ୍ପାଦନ କରିବା ପାଇଁ ସରକାର ନୂତନ ପଦକ୍ଷେପ ମନ ଗ୍ରହଣ କରୁଛନ୍ତି ।ଜନସାଧାରଙ୍କ ସହ ଅନେକ ରାଜନେତା ଦୁର୍ଘଟଣା ରୋକିବା ସହ ଗମନାଗମନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର କୋଲ କରିଡର ନିର୍ମାଣ ନିମନ୍ତେ ଦୃଢ ଦାବି ଉପସ୍ଥାପନ କରି ଆସୁଥିଲେ ।ଜଣ ସମସ୍ୟାକୁ ଆଖି ଆଗରେ ରଖି ସରକାର ହେମଗିର ବ୍ଲକର କାଲୋବାହାଲ ଛକ ଠାରୁ ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସୱେ ର ଭେଡାବାହାଲ ପର୍ଯ୍ୟନ୍ତ ନୂତନ କୋଲ କରିଡର ନିର୍ମାଣ କଲେ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଟ୍ରକ ଚଳାଚଳ ଆରମ୍ଭ ହୋଇ ଯାଇଛି ।ହେଲେ ଏକ ନୂତନ ମାର୍ଗ କିପରି ଅନ୍ୟ ଏକ ଅଞ୍ଚଳ ପାଇଁ ଆର୍ଥିକ ଦୁର୍ଗତିର କାରଣ ପାଲଟିପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ମହକୁମା ଠାରୁ ଏମସିଏଲ ଯିବା ରାସ୍ତାରେ । ଦିନେ ଯେଉଁ ରାସ୍ତାରେ ହଜାର ହଜାର କୋଇଲା ଟ୍ରକ ଚଳାଚଳ କରିବା ଦ୍ୱାରା ସମଗ୍ର ଅଞ୍ଚଳର ଅର୍ଥନୀତି ଚଳଚଞ୍ଚଳ ଥିଲା ଏବଂ ଜମିର ଦର ସୁନା ପାଲଟିଥିଲା, ଆଜି ସେଠାରେ ନୀରବତା ରାଜ୍ କରୁଛି ଏବଂ ଜମି ଦର ପାଣି ମୂଲ୍ୟରେ ପହଞ୍ଚିଛି। ଡୁଡୁକା- କାଲୋବାହାଲ ଛକରୁ ଭେଡାବାହାଲ ପର୍ଯ୍ୟନ୍ତ ନୂତନ କୋଇଲା କରିଡର ରାସ୍ତା ଆରମ୍ଭ ହେବା ପରେ, ପୁରୁଣା ରାସ୍ତାକଡ଼ରେ ଥିବା ଗ୍ରାମଗୁଡ଼ିକରେ ଜମି ମୂଲ୍ୟରେ ଏକ ଅଭାବନୀୟ ହ୍ରାସ ଘଟିଛି, ଯାହା ସ୍ଥାନୀୟ ଜମି ମାଲିକ ଏବଂ ନିବେଶକଙ୍କୁ ହତାଶାରେ ବୁଡ଼ାଇ ଦେଇଛି।ଧ୍ୱନି,ପରିବେଶ ପ୍ରଦୂଷଣ ସହ ଦୁର୍ଘଟଣା କମିଛି ସତ ହେଲେ ଲୋକଙ୍କ ରୋଜଗାର ହ୍ରାସ ପାଇବା ସହ ମୂଲ୍ୟବାନ ଜମିର ମୂଲ୍ୟ ମଧ୍ୟ ଖସି ଯାଇଛି ।

୧୯୯୪ ମସିହାରୁ ଯେତେବେଳେ ମହାନଦୀ କୋଲଫିଲ୍ଡ ଲିମିଟେଡ଼ ଦ୍ୱାରା ଜମି ଅଧିଗ୍ରହଣ କରାଯାଇ ବସୁନ୍ଧରା ଖଣିରୁ କୋଇଲା ଉତ୍ତୋଳନ କରାଯାଇ ଛ ଚକିଆ ଟ୍ରକ ଯୋଗେ ପରିବହନ ପାଇଁ ସୁନ୍ଦରଗଡ଼ ସହରରୁ ଟିକିଲିପଡ଼ା ପର୍ଯ୍ୟନ୍ତ ରାସ୍ତାକୁ ବ୍ୟବହାର କରାଗଲା, ସେତେବେଳେ ଏହି ଅଞ୍ଚଳର ଭାଗ୍ୟ ଧୀରେ ଧୀରେ ବଦଳି ଯାଇଥିଲା। ଦିନରାତି ହଜାର ହଜାର କୋଇଲା ବୋଝେଇ ଟ୍ରକର ଯାତାୟାତ ଯୋଗୁଁ ବନ୍ଧପାଲି, ମହୁଲପାଲି, ରଙ୍ଗିଆମୁଣ୍ଡା, ଟାଙ୍ଗରପାଲି, ଉଜ୍ଜ୍ୱଳପୁର,ନୂଆଁମୁଣ୍ଡା,ଛଟେନପାଲି,ବର୍ତ୍ତନକେଲା,ଝରିଆପାଲି,ଫୁଲଧଡି, ସୁରୁଗୁଡ଼ା, ଦେଉଳି, ବାଲିଚୁଆଁ, ଡୁଡୁକା ଏବଂ ବଲିଙ୍ଗା ଭଳି ଗ୍ରାମଗୁଡ଼ିକ ଏକ ବ୍ୟବସାୟିକ କେନ୍ଦ୍ରରେ ପରିଣତ ହୋଇଥିଲା। ରାସ୍ତାକଡ଼ରେ ଢାବା, ଗ୍ୟାରେଜ୍, ଟାୟାର ମରାମତି ଦୋକାନ, ସ୍ପେୟାର ପାର୍ଟସ୍,କିରଣ ଦୋକାନ,ଚା ବିସ୍କୁଟ ଦୋକାନ,ଗୁପ୍ଚୁପ ଠେଲା,କପଡା ସିଲେଇ ଦୋକାନଠାରୁ ଆରମ୍ଭ କରି ଅନେକ କ୍ଷୁଦ୍ର ଶିଳ୍ପ ଏବଂ ମିନି ଇଣ୍ଡଷ୍ଟ୍ରି ଗଢ଼ିଉଠିଲା। ଏହି ବ୍ୟବସାୟିକ ଅଭିବୃଦ୍ଧିର ସମ୍ଭାବନାକୁ ଦେଖି ସ୍ଥାନୀୟ ଲୋକଙ୍କ ସମେତ ବାହାରର ନିବେଶକମାନେ ମଧ୍ୟ ମୋଟା ଅଙ୍କରେ ଜମି କିଣିବା ଆରମ୍ଭ କଲେ। ଚାହୁଁ ଚାହୁଁ ଜମିର ମୂଲ୍ୟ ସରକାରୀ ଦରଠାରୁ ଦଶ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଲା ଓ ରାସ୍ତାକଡ ଜମି ଗୁଡିକର ମୂଲ୍ୟ ଆକାଶ ଛୁଆଁ ହୋଇଗଲା ।

କିନ୍ତୁ ଏହି ସୁନେଲି ସମୟରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ଯେତେବେଳେ କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଡୁଡୁକା -ଭେଡାବାହାଲ କୋଇଲା କରିଡର ରାସ୍ତା କାର୍ଯ୍ୟକ୍ଷମ ହେଲା। ସମସ୍ତ କୋଇଲା ବୋଝେଇ ଟ୍ରକ୍ ଏହି ନୂଆ ରାସ୍ତା ଦେଇ ଯିବା ଆରମ୍ଭ କଲେ, ଫଳରେ ପୁରୁଣା ରାସ୍ତାଟି ଏକପ୍ରକାର ଜନଶୂନ୍ୟ ହୋଇ ଯାଇଛି । ଟ୍ରକ୍ ଚଳାଚଳ ବନ୍ଦ ହେବା ମାତ୍ରେ ତା’ ଉପରେ ନିର୍ଭରଶୀଳ ସମସ୍ତ ବ୍ୟବସାୟ ଠପ୍ ହୋଇ ଯାଇଛି । ବ୍ୟବସାୟିକ ସମ୍ଭାବନା ଶୂନ ହୋଇଯିବା ଆଶଙ୍କାରେ ଜମିର ମୂଲ୍ୟ ଦ୍ରୁତ ଗତିରେ ତଳକୁ ଖସିବାକୁ ଲାଗିଛି ।ଆଜି ପରିସ୍ଥିତି ଏପରି ଯେ, ଯେଉଁମାନେ ଝିଅ ବାହାଘର, ପିଲାଙ୍କ ଉଚ୍ଚଶିକ୍ଷା କିମ୍ବା କୌଣସି ସ୍ୱାସ୍ଥାଗତ ଜରୁରୀକାଳୀନ ପରିସ୍ଥିତି ପାଇଁ ଜମି ବିକ୍ରି କରିବାକୁ ଚାହିଁଲେ, ସେମାନଙ୍କୁ କୌଣସି ଗ୍ରାହକ ମିଳୁନାହାନ୍ତି। ଯଦି କେହି କିଣିବାକୁ ରାଜି ହେଉଛି, ତେବେ ୫-୧୦ ବର୍ଷ ପୂର୍ବେ କିଣିଥିବା ଦରର ଅଧା ମୂଲ୍ୟ ମଧ୍ୟ ଦେବାକୁ ପ୍ରସ୍ତୁତ ନୁହେଁ। ଏହା ସେହି ଲୋକମାନଙ୍କ ପାଇଁ ଏକ ବଡ଼ ଆର୍ଥିକ ଆଘାତ, ଯେଉଁମାନେ ନିଜ ଜୀବନର ସମସ୍ତ ପୁଞ୍ଜି ଭବିଷ୍ୟତରେ ବ୍ୟବସାୟ ବୃଦ୍ଧି ହେବା ଉଦ୍ଦେଶ୍ୟରେ ଏହି ଅଂଚଳର ଜମିରେ ନିବେଶ କରିଥିଲେ। ସରକାରୀ ସ୍ତରରେ ଜମିର ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ବଜାରରେ ଏହାର କୌଣସି ପ୍ରଭାବ ନାହିଁ।ଏହି ସମସ୍ୟା କେବଳ କିଛି ଗ୍ରାମର ନୁହେଁ, ବରଂ ଏକ ବୃହତ୍ତର ଅର୍ଥନୈତିକ ସଙ୍କଟର ସୂଚନା ଦେଉଛି। ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଯୋଜନା କରିବା ସମୟରେ ଏହାର ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ସ୍ଥାନୀୟ ଲୋକେ ଏହି ସମସ୍ୟାର ସମାଧାନ ପାଇଁ ସରକାରୀ ହସ୍ତକ୍ଷେପ ଦାବି କରିଛନ୍ତି। ପୁରୁଣା ରାସ୍ତାରେ ନୂତନ ଶିଳ୍ପ କିମ୍ବା ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରି ଏହି ଅଞ୍ଚଳର  ଅର୍ଥନୀତିକୁ ପୁନର୍ଜୀବିତ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *

ସୁନ୍ଦରଗଡରେ ବୀର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ସମାଜର ପ୍ରତିଷ୍ଠିତ ନେତା ବୀର ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସୁନ୍ଦରଗଡ଼ରେ ମହାସମାରୋହ ଏବଂ ଉତ୍ସାହର ସହ ପାଳିତ ହୋଇଯାଇଛି। ତାଙ୍କର ତ୍ୟାଗ ଓ ବଳିଦାନକୁ

ଟାଙ୍ଗରପାଲି ବ୍ଲକ୍‌ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ନିଆଳିପାଲି ପଞ୍ଚାୟତ ଚାଉରଢାଲ ମୁରିଆଁଘାଟି ଛକ ଠାରେ ନବନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ  ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି।କେନ୍ଦ୍ର ସରକାରଙ୍କ

ବିଲେଇମୁଣ୍ଡା ଗାଁରେ ଜୟ ବଜରଙ୍ଗ କ୍ଲବ ଦ୍ୱାରା ଶିଶୁ ଦିବସ ପାଳିତ

ବିଲେଇମୁଣ୍ଡା ଗାଁରେ ଥିବା ଜୟ ବଜରଙ୍ଗ କ୍ଲବ ପକ୍ଷରୁ ଶିଶୁ ଦିବସ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ତଥା ବିଜେପି ରାଜ୍ୟ ଉପ-ସଭାନେତ୍ରୀ ଶ୍ରୀମତୀ

ବିପିୟୁଟିର ଏନଏସଏସ ୟୁନିଟ୍ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ପାଳିତ

ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (BPUT)ର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ତରଫରୁ ନଭେମ୍ବର ୯ ତାରିଖ  ଦିନ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ

ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି  ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ

ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜନସାଧାରଣଙ୍କର ବହୁବିଧ ସମସ୍ୟାର ସମାଧାନ ଲାଗି ସରକାର ତତ୍ପରତା ପ୍ରକାଶ କରି ପ୍ରତି ସପ୍ତାହରେ ସୋମବାର ଦିନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଲାଠିକଟା ବ୍ଲକ

error: !!sarbajaya.news!!