
ଅନଲାଇନ ମାଧ୍ୟମରେ ମୋବାଇଲ ହ୍ୟାକ୍ କରି ବିଭିନ୍ନ ବ୍ୟାଙ୍କ ର ଜମାଖାତା ସାଇବର ଅପରାଧୀମାନେ ଖାଲି କରି ଦେଉଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ଭଷ୍ମା ପୁଲିସ୍ ଯାଞ୍ଚ ଆରମ୍ଭ କରିଥିଲା। ତଦନ୍ତ ବେଳେ ସାଇବର ଅପରାଧୀମାନେ ଅନୁସରଣ କରୁଥିବା ଏକ ନୂଆ ଏବଂ ଚତୁର ଠକେଇ କୌଶଳର ପର୍ଦାଫାସ କରାଯାଇଛି। ନିଜେ ଧରା ନପଡ଼ିବା ପାଇଁ ଅଭାବୀ ଲୋକଙ୍କୁ କିଛି ଟଙ୍କା ଦେଇ, ସେମାନଙ୍କ ବ୍ୟାଙ୍କ ପାସ୍ବୁକ , ଏଟିଏମ୍ ଓ ସିମ୍ କାର୍ଡ ନେଇ ଏହାରି ଜରିଆରେ ଲୋକଙ୍କ ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ପୋଲିସ ଏହି ଠକେଇ କାର୍ଯ୍ୟରେ ସମ୍ପୃକ୍ତ ୫ ଜଣ ଦଲାଲଙ୍କୁ ଗିରଫ କରିଛି।
ସାଇବର ଠକମାନେ ଗାଁ ଗହଳିର ନିରୀହ ଲୋକମାନଙ୍କୁ କିଛି ପଇସାର ଲୋଭ ଦେଖାଇ ତାଙ୍କ ପାସ୍ବୁକ ,ଏଟିଏମ,ସିମ କାର୍ଡ ଆଦି ନେଇ ଲକ୍ଷଲକ୍ଷ ଟଙ୍କାର ଲୁଟ କରୁଥିଲେ। ଯଦି କୌଣସି ବ୍ୟକ୍ତି ଠକାମିର ଶିକାର ହୋଇ ଅଭିଯୋଗ କରନ୍ତି, ତେବେ ଅସଲି ଅପରାଧୀଙ୍କ ବଦଳରେ ନିରୀହ ଜମାଖାତାଧାରୀ ଧରାପଡ଼ିବେ ଏବଂ ଠକମାନେ ଅତି ସହଜରେ ଖସିଯିବେ। ଅଭିଯୁକ୍ତ ଦଲାଲମାନେ ପୂର୍ବରୁ ଥିବା ଏବଂ ନିକଟରେ ଖୋଲାଯାଇଥିବା ଏକାଧିକ ଜମାଖାତା ସହ ସମ୍ପୃକ୍ତ ଏଟିଏମ୍ କାର୍ଡ, ମୋବାଇଲ୍ ସିମ୍ ଓ ଆଧାରକାର୍ଡ ଆଦି ସଂଗ୍ରହ କରି ସାଇବର ଅପରାଧୀଙ୍କୁ ଯୋଗାଇ ଦେଉଥିଲେ। କେବଳ ନିଜ ଖାତା ନୁହେଁ, ନିଜ ଅଞ୍ଚଳର କିଛି ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦେଇ ସେମାନଙ୍କ ଖାତା ମଧ୍ୟ ହସ୍ତାନ୍ତର କରାଇଥିଲେ।ରାତାରାତି ଲକ୍ଷପତି ହେବାର ଲାଳସାରେ ନିଜ ପ୍ରିୟ ପରିଜନ ଓ ନିରୀହ ଲୋକଙ୍କୁ ବିନା କାମରେ ଅର୍ଥ ଉପାର୍ଜନର ଲୋଭ ଦେଖାଇ ତାଙ୍କ ଆକାଉଣ୍ଟ ରେ କରୁଥିଲେ ଟ୍ରାଞ୍ଜାକ୍ସନ । ଜାମତଲିଆ ଗାଁର ଗାୟତ୍ରୀ ଛୁରା ଓ ତାଙ୍କ ସ୍ୱାମୀ ଲୋକେଶ୍ୱର ଗର୍ଡିଆ ଜୁନ୍ ୩୦ରେ ଦୁଇଟି ଖାତା ଭରତ ମହାନନ୍ଦଙ୍କ ହାତରେ ଦେଇଥିଲେ ଏବଂ ଏ ବାବଦରେ ତାଙ୍କୁ ୪ ହଜାର ଟଙ୍କା ତାଙ୍କୁ ମିଳିଥିଲା। ୪ ମାସ ପରେ ଗାୟତ୍ରୀ ଯେତେବେଳେ ବ୍ୟାଙ୍କକୁ ଯାଇ ପାସ୍ବୁକ ଆତୁଡେଟ କରିଥିଲେ, ସେଥିରେ ପ୍ରାୟ ୭ ଲକ୍ଷ ଟଙ୍କାର ନେଣଦେଣ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ସନ୍ଦେହ ପ୍ରକାଶ କଲେ। ଏ ସଂକ୍ରାନ୍ତରେ ଭସ୍ମା ଥାନାରେ ଅଭିଯୋଗ କଲେ ଓ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଚଲାଇଲା ।ତଦନ୍ତରୁ ଅଞ୍ଚଳରେ ଏକ ବଡ ଧରଣର ସାଇବର ଠକ ସକ୍ରିୟ ଥିବା ଜଣା ପଡିଲା ।ଏହି ମାମଲାରେ ସୁନ୍ଦରଗଡ଼ ଏସଡିପିଓ ନିର୍ମଳ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଭଷ୍ମା ଥାନାଧିକାରୀ ସୁଶାନ୍ତ କୁମାର ପରିଡ଼ା ତନାଘନା ଚଳାଇ ୫ ଜଣ ଦଲାଲଙ୍କୁ ଧରିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଯୋଗୀ ମାଲର ନିବାସ ନାଏକ (୨୬), ଜାମତଲିଆର ମହାନନ୍ଦ (୩୧), ଡୁମାବାହାଲର ବିମଳ ଗଡିଆ (୩୯), ଅବନକେଲାର କଳାକାର ତାଣ୍ଡିଆ (୪୦) ଏବଂ ସଦର ଥାନା ଗୁରାବସାର ହରେରାମ ଦେଓ (୫୦)। ସମସ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ବିଭିନ୍ନ ଲୋକଙ୍କ ନାମରେ ଥିବା ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଇଣ୍ଡିଆନ, ସେଣ୍ଟ୍ରାଲ, କାନାରା, ଆଇଡିବି, ପିଏନବିର ମୋଟ ୨୩ଟି ଜମାଖାତା ସହ ଏଟିଏମ୍, ମୋବାଇଲ୍ ସିମ୍ ଏବଂ ଆଧାରକାର୍ଡ ଜବତ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତଙ୍କ ଅନ୍ୟ ସବୁ ବ୍ୟାଙ୍କ ଖାତାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଦେଣନେଣ ହୋଇଥିବା ଜଣାପଡ଼ିଛି। ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ଆଉ କିଏ କିଏ ସମ୍ପୃକ୍ତ ତା’ର ତଦନ୍ତ ଜାରି ରହିଛି ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି।










Total views : 911